Unknown

 

 

 

 

 

 

 

 

 

 

 

ଗଜ ନିସ୍ତାରଣ

ଶ୍ରୀ ଦୀନକୃଷ୍ଣ ଦାସ

 

ଗଜ ନିସ୍ତାରଣ

 

ଦ୍ୱାରକା ପୁରେ ଭାବଗ୍ରାହୀ

ସମସ୍ତ ଯାଦବ ବସାଇ

।।

ଆପଣେ ପ୍ରଭୁ ଯଦୁପତି

ବସିଲେ ଦେବାର୍ଚ୍ଚନ କତି

।।

ଯାଦବ ମଧ୍ୟରେ ଉଦ୍ଧବ

କୃଷ୍ଣଙ୍କ ଅତି ପ୍ରିୟଭାବ

।।

ଉଦ୍ଧବ ବୋଲଇ ଗୋସାଇଁ

ଏମନ୍ତ ପଚାରୁଛି ମୁହିଁ

।।

କୁମ୍ଭୀରେ ପଡ଼ିଲା ବିପତ୍ତି

ତୁମ୍ଭେ କି କଲ ଯଦୁପତି

।।

କାହୁଁ ପଡ଼ିଲା ଆସି ଚକ୍ର

ମୋ ଆଗେ କହ ପଦ୍ମନେତ୍ର

।।

ବୋଲନ୍ତି ଶରଣ ସୋଦର

ଶୁଣ ହେ ଭକତ ଶେଖର

।।

ସରଯୁ ନଦୀର ତଟରେ

ଦକ୍ଷିଣ ସମୁଦ୍ର କୂଳରେ

।।

ବୈଶାଖ ଏକାଦଶୀ ଦିନ

ଜୁଆର ମାଡ଼ିଲା ଯେ ପୁଣ

।।

ମତ୍ସ୍ୟ କଚ୍ଛପ ଯେ ମଗର

ଆବର ଯେତେ ଜଳଚର

।।

ଥୋକାଏ ଜୁଆରେ ଉଠିଲେ

ଦ୍ୱାଦଶ ଯୁଣ ଯାଏ ଗଲେ

।।

ବିକର୍ମା ନାମେଣ କୁମ୍ଭୀର

ସେ ପଛେ ହୋଇଲା ବାହାର

।।

ମତ୍ସ୍ୟ କଚ୍ଛପ ଯେ ଆସିଣ

ପଶନ୍ତି ତାହାର ତୁଣ୍ଡେଣ

।।

ଏମନ୍ତେ ଅତି ସୁସ୍ଥ ହୋଇ

ସୁଖେ ସେ ଆହାର କରଇ

।।

ଅଶୀ ଯେ କୋଶ ଯାଏ ଗଲା

ତେଣିକି ଯାଇ ନ ପାରିଲା

।।

ତକ୍ଷଣେ ଛାଡ଼ିଲା ଜୁଆର

ଶୁଷ୍କରେ ପଡ଼ିଲା କୁମ୍ଭୀର

।।

ଚାରି ଚରଣ ତାର ନାହିଁ

ଆରତେ କୁମ୍ଭୀର ଗଡ଼ଇ

।।

ନିଶ୍ଚୟ ପ୍ରାଣ ଯିବ ତାର

ମରଣେ ପଡ଼ିଛି କୁମ୍ଭୀର

।।

ଏମନ୍ତ ସମୟରେ ତହିଁ

ଗଜ ଆସଇ ପାଣି ଖାଇ

।।

କୁମ୍ଭକ ନାମେ ମତ୍ତହସ୍ତୀ

ସଙ୍ଗେ ତା ବାଳକେ ଅଛନ୍ତି

।।

ପୁତ୍ର ଯେ ବେନିଗୋଟି ସଙ୍ଗେ

ଘେନି ଆସଇ ଅତି ରଙ୍ଗେ

।।

କୁମ୍ଭୀର ପଡ଼ିଣ ଯେ ଥିଲା

ଦୂରହୁଁ ଅନାଇଣ ଦେଲା

।।

କୁମ୍ଭୀର ବିଚାରଇ ଚିତ୍ତେ

ଆସୁ ଅଛନ୍ତି ଗଜଯୂଥେ

।।

ଏଠାରେ ଉପାୟ କରିବି

ମଇତ୍ର ବୋଲିଣ ଡାକିବି

।।

ମଇତ୍ର ବୋଲିବି ମୁଁ ଯେବେ

ସେ ମୋତେ ତାରିନେବ ତେବେ

।।

ଏମନ୍ତ ବିଚାରୁଁ କୁମ୍ଭୀର

ଗଜ ହୋଇଲା ନିକଟର

।।

ଆସ ମଇତ୍ର ମୋର ପାଶ

କହିବି ଏକାନ୍ତ ବିଶ୍ୱାସ

।।

କୁମ୍ଭୀର ଉଚ୍ଚେ ଡ଼ାକ ଦେଇ

ମଇତ୍ର ଆସ ବେଗ ହୋଇ

।।

ଏମନ୍ତ ଡାକିଲାକ ଯହୁଁ

ଗଜ ଯେ ପାଲଟିଲା ତହୁଁ

।।

ସଙ୍ଗତେ ତାର ପୁତ୍ର ଥିଲେ

କିପାଁଇ ଯାଉଛ ବୋଇଲେ

।।

ଗଜ ବୋଇଲ ପୁତ୍ରମଣି

ତୁମ୍ଭର ଜ୍ଞାନ ନାହିଁ ପୁଣି

।।

ପୂର୍ବେ ଯେ ଧର୍ମହିଁ ନ କଲ

ସେ ହେତୁ ପଶୁଜନ୍ମ ହେଲ

।।

ଆତଙ୍ଗ କାଳେ ଯେଉଁ ପ୍ରାଣୀ

ତାହାଙ୍କ ଉପଦେଶ ଶୁଣି

।।

ସେ ତାକୁ କଲେକ ନିରାଶ

ଅବଶ୍ୟ ଘୋର ନର୍କେବାସ

।।

ଏକଥା ଶୁଣିଅଛି ମୁହିଁ

ଛାଡ଼ିତ ନ ପାରଇ ଯାଇ

।।

ତାର ନିକଟ ଯାଏ ଯିବି

ଉଚିତ ବାରତା ଶୁଣିବି

।।

ଏମନ୍ତ ପୁତ୍ରକୁ ମେଲାଣି

ଦେଲା ସେ ଗଜ ନୃପମଣି

।।

କୁମ୍ଭୀର ନିକଟେ ମିଳିଲା

କି ଅର୍ଥେ ଡାକିଲ ବୋଇଲା

।।

କୁମ୍ଭୀର ବୋଲଇ ଗୋସାଇଁ

ଉଠିତ ନ ପାରଇ ଯାଇଁ

।।

ସେ କଥା କହଇ ମୁଁ ତୋତେ

ଏଥୁ ଉଦ୍ଧାର ହେ ସଙ୍ଗାତେ

।।

ସାନ ସାନରେ ବନ୍ଧୁମତି

ବଡ଼ ବଡ଼ରେ ଯେ ପୀରତି

।।

ଏହାତ ପୂର୍ବରୁ ଅଛଇ

ଶୁଣିମା ସାବଧାନ ହୋଇ

।।

ଯେମନ୍ତେପାରମୋତେ ନିଅ

ଗଭୀର ଜଳରେ ପକାଅ

।।

ଗଜ ସଂପ୍ରତେ ତାହା କଲା

ପ୍ରାଣର ସ୍ଥତି ଆଚରିଲା

।।

ମଇତ୍ର ପଣ ପଛେ ଥାଉ

ଆଗେ କୁମ୍ଭୀର ପ୍ରାଣପାଉ

।।

ଏହା ବିଚାରି ମତ୍ତହସ୍ତୀ

ଥୋର ଲଗାଇ ତାକୁ ଟେକି

।।

ଦନ୍ତର ମଧ୍ୟରେ ବସାଇ

ଚାଲଇ ଧୀର ଧୀର ହୋଇ

।।

ବ୍ୟଥା ପାଇବ ମୋ ମଇତ୍ର

ଅପ୍ରାଧ ହୋଇବ ବହୁତ

।।

ସ୍ୱଭାବେ ବଡ଼ ଯେ କୁମ୍ଭୀର

ଅତି ଗରିଷ୍ଠ ତା ଶରୀର

।।

ତିନିଶ ହାତ ଲମ୍ୱ ହୋଇ

ଶଏ ହାତ ବିସ୍ତାର ଦେହୀ

।।

ଭଙ୍ଗା ପର୍ବତ ପ୍ରାୟ ହୋଇ

ସଧୀରେ ପଥ ବହିଯାଇ

।।

ସମୁଦ୍ର ନିକଟେ ମିଳିଲା

ମଇତ୍ର ଯାଅ ହେ ବୋଇଲା

।।

ମଇତ୍ର କର ହୋ ମେଲାଣି

ଏଠାରେ ପହଁରାଏ ପାଣି

।।

ତହିଁକି କୁମ୍ଭୀର ବୋଲଇ

ଶୁଣ ହେ ସାବଧାନ ହୋଇ

।।

ଯେମନ୍ତ ପାର ମୋତେ ନିଅ

ଗଭୀର ଜଳରେ ପକାଅ

।।

ଗଜ ସମ୍ମତ ତାହା କଲା

ଆହୁରି ଖଣ୍ଡେ ଦୂର ନେଲା

।।

ପୁଣି ନିଅନ୍ତେ ଭଡ଼ାଚାରି

ଗଜ ଶରୀର ଗଲା ବୁଡ଼ି

।।

ଗଜ ଶରୀର ବୁଡ଼ିଗଲା

ଦେହ ତା କିଛି ନ ଦିଶିଲା

।।

ମାପନ୍ତେ ତିନି ଯେ ଆଙ୍ଗୁଳି

ଗଜ ବୁଡ଼ଇ ତେତେବେଳେ

।।

ଲହଡ଼ି ଊଣା ହୁଏ ଯହୁଁ

ଗଜ ନିଶ୍ୱାସ ଛାଡ଼େ ତହୁଁ

।।

କୁମ୍ଭୀର ଡେଇଁଣ ପଡ଼ିଲା

ଗଭୀର ଜଳରେ ବୁଡ଼ିଲା

।।

ଖଗେ ଧଇଲା ପାଦଚାରି

ଦନ୍ତେଣ ତଣ୍ଟି ତା’ କୋମୋଡ଼ି

।।

କାମୋଡ଼ି କରେ ରୁଣଝୁଣ

ବୋଲଇଘେନିବ ତୋପ୍ରାଣ

।।

ଶାଙ୍କୋଳି ଦେଲା ପ୍ରାୟେକରି

ଚାରି ଚରଣ ଅଣ୍ଟେଧରି

।।

କୁମ୍ଭୀର ବୋଲଇ ଗୋସାଇଁ

ଧନ୍ୟ ବିଧାତା ଅଟୁତୁହି

।।

ତିନି ଦିନର ଉପାସକୁ

ଆହାର ଦେଉଛ ଆମ୍ଭଙ୍କୁ

।।

ଖାଇବି ଅତି ସୁସ୍ଥ ହୋଇ

ତୋଷ କରିବି ବନ୍ଧୁଭାଇ

।।

ଏମନ୍ତ ମନରେ ବିଚାରି

ଗଜକୁ ଅଛି ଅଣ୍ଟେ ଧରି

।।

ଘାଏଣ ଲୁଣି ପାଣି ଲାଗି

ଗଜହୋଇଲା ଚିନ୍ତାଭାଗୀ

।।

ଗଜ ଯେ ମନେ ବିଚାରଇ

ଦେଖ ପାପିଷ୍ଠ ଏହା ଦେହୀ

।।

ଦେଖ ହେ ଏ ଘୋର ପାତକୀ

ହୋଇଲା ବିଶ୍ୱାସ ଘାତକୀ

।।

କାଳ ଅନ୍ୟାୟ ପୁଣି କଲା

ମୋ ପ୍ରାଣ ନେବାକୁ ପାଞ୍ଚିଲା

।।

ମୁଁ ଯେବେ ନ ଆଣନ୍ତି ବହି

ସେଠାରେ ଯାଆନ୍ତା ମିଳାଇ

।।

କାକ ଶୃଗାଳ ଯେ ଭକ୍ଷନ୍ତେ

ଶରୀରେ କୃମି ତା ପଡ଼ନ୍ତେ

।।

ପୁତ୍ରଙ୍କ ବୋଲ ମୁଁ ନ କଲି

ଏହାକୁ ବହି ମୁଁ ଆଣିଲି

।।

କାଳ ଏ ହୋଇଲା ପାପିଷ୍ଠ

ନିଶ୍ଚେ କରିବ ମୋତେନଷ୍ଟ

।।

ଶରୀରେ ଜ୍ଞାନ ଉପୁଜିଲା

ପୂର୍ବର ହେତୁ ସୁମରିଲା

।।

ଗଜ ଯେ ବିଚାରଇ ମନେ

ଯେକାଳେଥିଲଘୋରବନେ

।।

ଶତସିଂହ ଯେ ପର୍ବତରେ

ଥିଲ ମୁଁ ଯେବଣ କାଳରେ

।।

ମୁହିଁ ମାରଇ ବୋଲି କରି

ରୁଣ୍ଡ ହୋଇଲେ ତପଚାରୀ

।।

ମୁନି ହୁଅନ୍ତି କୁହା କୁହି

ଆତଙ୍ଗ କାଳେ ଭାବଗ୍ରାହୀ

।।

ଅବଶ୍ୟ ରଖନ୍ତି ଗୋସାଇଁ

ଏଥୁ ଆତଙ୍ଗ ଆଉ ନାହିଁ

।।

ଥରେ ମୁଁ ବିଡ଼ିବି ଏଠାଇଁ

ମନରେ ପ୍ରତେ ଯିବି ମୁହିଁ

।।

ଏମନ୍ତେ ମନେ ବିଚାରିଲା

ଜଗନ୍ନାଥଙ୍କୁ ଚିନ୍ତାକଲା

।।

ଥୋର ହସ୍ତରେ ଦରାଣ୍ଡିଲା

ପଦ୍ମ ଯେ ନାଡ଼ୋକ ପାଇଲା

।।

ତୋଳି ଧଇଲା ପଦ୍ମମୂଳ

ଡାକିଲା ରଖ ଆଦିମୂଳ

।।

ରଖ ହେ ଦେବକୀ ନନ୍ଦନ

ରଖ ହେ ଶ୍ରୀମଧୁସୂଦନ

।।

ରଖ ହେ ଦେବ ଦଇତ୍ୟାରି

କୁମ୍ଭୀର ପାଟିରୁ ନିସ୍ତାରି

।।

ତୁମ୍ଭେତ ନ ରଖିବ ଯେବେ

ନିଶ୍ଚୟ ଗଜ ମଲା ତେବେ

।।

ଅନ୍ୟାୟହୋଇବ ଗୋସାଇଁ

ଜଳର ଜୀବ ମୁଁ ନୁହଇ

।।

ବିଶ୍ୱାସ କରି ମୋତେ ଆଣି

ପ୍ରାଣରେ ମାରୁଅଛି ପୁଣି

।।

ଦୃଷ୍ଟିରେ ତୋତେ ଦେଖିନାହିଁ

ଗୁରୁ ମୋ କର୍ଣ୍ଣେ କହି ନାହିଁ

।।

ମୁନିଏ କହିଛନ୍ତି ମୋତେ

ଆତଙ୍ଗ କାଳେ ଜଗନ୍ନାଥେ

।।

ଆତଙ୍ଗ ନାଶନ ତୋ ବାନା

ବାରେ ହୁଅ ତୁ ବଜ୍ରସେହ୍ନା

।।

ଶରଣ ରକ୍ଷଣ ମୁରାରି

ବାରେକ ନେବାକ ଉଦ୍ଧରି

।।

ଗୋବିନ୍ଦ ଗୋବିନ୍ଦ ଗୋସାଇଁ

ତୋ ବିନୁ ଅନ୍ୟ ଆଶ୍ରେ ନାହିଁ

।।

ଏମନ୍ତେ ବୋଲି କରି ତହିଁ

ଉଚ୍ଚେ ଡ଼ାକିଲା ଭାବଗ୍ରାହୀ

।।

ଦ୍ୱାରିକା ଅଶୀସସ୍ର ଯୁଣ

ଲକ୍ଷ୍ମୀର ତୁଲେ ନାରାୟଣ

।।

ପଶା ଖେଳରେ ଯଦୁପତି

ଦାନ ପଡ଼ିଛି ପଞ୍ଚୁଆତି

।।

ଲକ୍ଷ୍ମୀ ବାହିବେ ଯେବେ ସାର

ହାରିବେ ପ୍ରଭୁ ଚକ୍ରଧର

।।

ଖେଳର ତାନ ମାନ କାଳେ

ଗଜ ଯେ ଡାକିଲା ବିକଳେ

।।

ସେ ଡ଼ାକ କର୍ଣ୍ଣରେ ଶୁଣିଲେ

ରଖିବୁ ବୋଲିଣ ବୋଇଲେ

।।

ତତ୍‌କ୍ଷଣେ ସୁଦର୍ଶନ ରାଇ

ପେଶିଲେ ବ୍ରହ୍ମାଣ୍ଡ ଗୋସାଇଁ

।।

ହେ ଚକ୍ର ଅତି ବେଗେଯିବୁ

କୁମ୍ଭୀର ତଣ୍ଟିରେ ପଡ଼ିବୁ

।।

ଛିଡ଼ିବ ବେନିଖଣ୍ଡ ହୋଇ

ମୋ ଗଜ ଦେବୁ ମୁକୁଳାଇ

।।

ଆଜ୍ଞା ପ୍ରମାଣେ ଚକ୍ର ଗଲା

କୁମ୍ଭୀର ତଣ୍ଟିରେ ପଡ଼ିଲା

।।

ଛିଡ଼ିଲା ବେନି ଖଣ୍ଡ ହୋଇ

ଗଜ ଉଦ୍ଧାର ହେଲା ତହିଁ

।।

ଚକ୍ର ସମୁଦ୍ରେ ସ୍ନାନ କଲା

ପ୍ରଭୁଙ୍କ ନିକଟେ ମିଳିଲା

।।

ଚକ୍ରକୁ ଅନାଇ ଗୋସାଇଁ

ବୋଲନ୍ତି ରଖିଲୁ କି ତୁହି

।।

ଲକ୍ଷ୍ମୀ ବୋଲନ୍ତି ମହାବାହୁ

କେତେହେଁ ମିଥ୍ୟା ପ୍ରଭୁ କହୁ

।।

ଖେଳେ ହାରିଛ ଯଦୁମଣି

ମୋତେତ ଭଣ୍ଡିଲୋଡ ପୁଣି

।।

ମୁଁ ଗୋପସ୍ତିରୀ ଯେ ନୁହଇ

ଭଣ୍ଡିବ ମୂରଲୀ ବଜାଇ

।।

ଗୋପ ନଗରେ ଜାତ ହୋଇ

ଭଣ୍ଡିବ ନାନା ଭୋଟ କହି

।।

ଭୋଟିଆ ନାମ ଯେ ତୁମ୍ଭରି

ଭୋଟେ ଭଣ୍ଡୁଛ ନରହରି

।।

ରାଜା ଯୁଧିଷ୍ଠି ମହୀପାଳେ

ରାଜୁସି ଯାଗ କଲାବେଳେ

।।

ହସ୍ତରେ ଯୋଡ଼ା ବେତ ଧରି

ନାମ ଅନନ୍ତ ପଢିହାରୀ

।।

ଗୋପ ନଗରେ ଜାତ ହରି

ବନେ ମୂରଲୀ ନାଦ କରି

।।

ତେମନ୍ତ ପ୍ରାୟ ମୋତେ କରି

ମିଛେ ଭଣ୍ଡୁଛ ନରହରି

।।

ବୋଲନ୍ତି ପ୍ରଭୁ ଦଇତ୍ୟାରି

ଶୁଣ ଗୋ ସିନ୍ଧୁର କୁମାରୀ

।।

ଅଶୀ ଯେ ସହସ୍ର ଯୂଣର

ଗଜକୁ ଧଇଲା କୁମ୍ଭୀର

।।

ସେ ମୋତେ ଆତଙ୍କେ ଡ଼ାକିଲା

ରଖ ହେ ଶ୍ରୀକୃଷ୍ଣ ବୋଇଲା

।।

ରଖିଲୁ ସୁଦର୍ଶନ ରାଇ

ଗଜକୁ ଦେଲୁ ମୁକୁଳାଇ

।।

ଲକ୍ଷ୍ମୀ ବୋଲନ୍ତି ଭାବଗ୍ରାହୀ

ମୋତେ ତା ଦେଖାଇବ ନେଇ

।।

ଯେବେ ଦେଖିବ ମୋ ନୟନ

ପ୍ରତେ କରିବି ଭଗବାନ

।।

ଗଜମୋକ୍ଷଣ ବାନା ଯେବେ

ମୋତେ ତା ଦେଖାଇବତେବେ

।।

କେତେ ଦୂରର ଏ ବାରତା

କେମନ୍ତେ ଜାଣିଲ ସେ କଥା

।।

କି କର୍ଣ୍ଣ ହୋଇଲା ତୁମ୍ଭର

ମୋତେ ଲାଗିଲା ଅଗୋଚର

।।

ତକ୍ଷଣେ ଶ୍ରୀ ମଧୁସୂଦନ

ରାଇଲେ ବିନତା ନନ୍ଦନ

।।

ବିନତାସୁତ ବିକ୍ରମିଲା

ରମ୍ୟକ ଦ୍ୱୀପରୁ ଅଇଲା

।।

ହରିଙ୍କି ଦରଶନ କଲା

ଆନନ୍ଦେ ଚରଣେ ପଡ଼ିଲା

।।

ରତ୍ନ ପଲଙ୍କ ଯେ ପଡ଼ିଲା

ଗରୁଡ଼ ପିଠି ବିସ୍ତାରିଲା

।।

ଲକ୍ଷ୍ମୀଙ୍କି ଘେନି ଭାବଗ୍ରାହୀ

ଗରୁଡ଼ ପିଠିରେଣ ଯାଇଁ

।।

ବିନତା-ସୁତ ବିକ୍ରମିଲା

ସମୁଦ୍ର ତଟରେ ମିଳିଲା

।।

ଦେଖିଲେ ସମୁଦ୍ରର ଜଳ

ରୁଧିରେ ହୋଇଛି ହିଲ୍ଲୋଳ

।।

କୁମ୍ଭୀର ବେନିଖଣ୍ଡ ହୋଇ

ପଡ଼ିଛି ଗିରି ପ୍ରାୟ ତହିଁ

।।

ଅଙ୍ଗୁଳି ଅଗ୍ରରେ ଦେଖାଇ

ବୋଲନ୍ତି ପ୍ରଭୁ ଲକ୍ଷ୍ମୀସାଇଁ

।।

ଲକ୍ଷ୍ମୀ ତା ନୟନେଦେଖିଲେ

ଲଜ୍ଜାରେ ବଦନ ପୋତିଲେ

।।

ହେଟବଦନ ହୋଇ ମାଏ

କୃଷ୍ଣଙ୍କ ମୁଖକୁ ନ ଚାହେଁ

।।

ଲଜ୍ଜା ପାଇଲେ ସିନ୍ଧୁ-ଝିଅ

ହସି ବୋଲନ୍ତି ନନ୍ଦପୁଅ

।।

ନ ଜାଣି ତୁମ୍ଭେ ପ୍ରାଣ ସଖି

ମିଥ୍ୟା ବୋଇଲ ଯେ ନ ଦେଖି

।।

ଆତଙ୍କ ନାଶନ ମୋ ବାନା

ଆରତ ଜନେ ବଜ୍ର ସେହ୍ନା

।।

ଯେମୋତେଆତଙ୍କେଡ଼ାକଇ

ମୁଁ ତାର ପାଶେ ଶୁଣୁଥାଇ

।।

ଲକ୍ଷ୍ମୀ ବୋଲନ୍ତି ଦେବ ହରି

ମୁହିଁ ତୁମ୍ଭର ପରିଚାରୀ

।।

ସ୍ୱଭାବେ ସ୍ତରୀ ଜନ୍ମ ହୋଇ

ଧର୍ମ ଅଧର୍ମ ନ ଜାଣଇ

।।

ଶୁଣ ଗୋ ସାଗର-ଦୁଲ୍ଲଣି

ମିଥ୍ୟା ଯେ କରୁଥିଲ ପୁଣି

।।

ସେଠାର ବିଜେ କରି ଗଲେ

ଗଜକୁ ବାଟରେ ଦେଖିଲେ

।।

ଗଜ ଅନେକ କଲା ସ୍ତୁତି

ମେଲାଣି ହେଲେ ଦାଶରଥି

।।

ତତ୍‌କ୍ଷଣେ ବାହୁଡ଼ା ବିଜୟେ

ଦ୍ୱାରକା ପୁରେ ଦେବରାୟେ

।।

ଗରୁଡ଼ ପିଠିରୁ ଉତ୍ତରି

ଶୀତଳ ମଣୋହିକି ସାରି

।।

ଶୀତଳ ମଣୋହି ସାରିଲେ

କର୍ପୂର ତାମ୍ୱୁଳ ଭୁଞ୍ଜିଲେ

।।

ଲକ୍ଷ୍ମୀ ସହିତେ ଭାବଗ୍ରାହୀ

ସୁଖେଣ ପହୁଡ଼ିଲେ ଯାଇ

।।

ସୁଜନ ଜନମାନେ ଶୁଣ

ପାଇବ ବୈକୁଣ୍ଠ କାରଣ

।।

ଏହା ଯେ ପଢନ୍ତି ଶୁଣନ୍ତି

କୋଟି ପୁରୁଷ ଉଦ୍ଧରନ୍ତି

।।

ଗୋ ହତ୍ୟା ବ୍ରହ୍ମହତ୍ୟା ମାନ

ବୃଷଳୀ ମଦି ସୁରାପା

।।

ଏ ଦୋଷ ସର୍ବ କ୍ଷୟ ଯାଇ

ଯେ ତୁଣ୍ଡେ ରାମ ନାମ ଗାଇ

।।

ଯେ ନର ଅପୁତ୍ରିକ ହୋଇ

ବିଶ୍ୱାସ କଲେ ପୁତ୍ର ପାଇ

।।

ଆଶାନୁରୂପ ଯେ ପ୍ରାପତ

ସୁଜନଜନଙ୍କର ହିତ

।।

କହଇ ବିପ୍ର ଜଗନ୍ନାଥ

ଅଷ୍ଟମସ୍କନ୍ଧେ ଭାଗବତ

।।

Image